Unknown

 

 

 

 

 

 

 

 

 

 

 

ସମୁଦ୍ରଯାତ୍ରା ବିଚାର

ଶ୍ରୀ ନୀଳମଣି ବିଦ୍ୟାରତ୍ନ

 

ଉତ୍ସର୍ଗ ପତ୍ର

 

ଯେ ପୁରୀ ଜିଲ୍ଲାର ଏକ ବିଖ୍ୟାତ ଶାସନ ନିବାସୀ ସମ୍ଭ୍ରାନ୍ତ ବଂଶରୁ ଉଦ୍ଭୂତ, ଯେ ନାନାବିଧି ଅଭାବ ଅସୁବିଧା ଭୋଗ କରି ସୁଦ୍ଧା ଅଦମ୍ୟ ଅଧ୍ୟବସାୟ ବଳରେ ଓକିଲାତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ–ପବିତ୍ର ଭାବରେ କାର୍ଯ୍ୟ କରି ନିଜ ଅବସ୍ଥାର ବିଶେଷ ଉନ୍ନତି ସାଧନ କରିଅଛନ୍ତି, ଯେ ବିଚ୍ଛିନ୍ନ ଓଡ଼ିଆ ଭାଇମାନେ ଏକ ଶାସନାଧୀନରେ ରହିବା ନିମନ୍ତେ ଯଥାସାଧ୍ୟ ଚେଷ୍ଟା କରିଅଛନ୍ତି ଏବଂ କରୁଅଛନ୍ତି । ଅନୁନ୍ନତ ଗଞ୍ଜାମର ଶିକ୍ଷାବୃଦ୍ଧି ଉଦ୍ଦେଶ୍ୟରେ ଛାତ୍ରବୃତ୍ତି ଫଣ୍ଡ ସ୍ଥାପନ ଓ ଫଣ୍ଡର ପରିପୁଷ୍ଟି ବିଷୟରେ ଯେ ଆଶାତୀତ ଯତ୍ନ କରିଅଛନ୍ତି, ଦେଶହିତକର ସକଳ କାର୍ଯ୍ୟ ସାଧନ ପ୍ରତି ସହାୟତା କରିବା ବିଷୟରେ ଯେ ସଦା ଅନୁରାଗୀ, ଯେଉଁ ମହୋଦୟ ସାମାଜିକ ବାଧାବିଘ୍ନ ଅତିକ୍ରମ କରି ସୁଦୂରବର୍ତ୍ତୀ ଅପରିଚିତ ରାଜ୍ୟ ବିଲାତକୁ ଯାଇ ବାରିଷ୍ଟରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାଦ୍ୱାରା ସ୍ୱୀୟ ନିର୍ଭିକତା, ଶିକ୍ଷାନୁରାଗିତା ଏବଂ ସ୍ୱାବଲମ୍ବନଶୀଳତା ଗୁଣର ପରିଚୟ ପ୍ରଦାନ କରିଅଛନ୍ତି ଏବଂ ଉତ୍କଳର ଉଚ୍ଚଶିକ୍ଷାର୍ଥୀ ଯୁବକମାନଙ୍କ ପକ୍ଷରେ ଆଦର୍ଶ ସ୍ଥାନୀୟ ହୋଇଅଛନ୍ତି, ଯାହାଙ୍କୁ ଗର୍ବ, ଅଭିମାନ, ଅଣୁମାତ୍ର ସ୍ପର୍ଶ କରି ନାହିଁ, ଉତ୍କଳର ସେହି ସୁସନ୍ତାନ, ମୋର ପୁରାତନ ବନ୍ଧୁ ।

 

ସାମନ୍ତ ଶ୍ରୀମାନ୍‌ ବିଶ୍ୱନାଥ ମିଶ୍ର ବାରିଷ୍ଟର ମହୋଦୟଙ୍କ ନାମରେ ‘‘ସମୁଦ୍ରଯାତ୍ରା ବିଚାର’’ ପୁସ୍ତକ ଖଣ୍ଡି ପରମାନନ୍ଦର ସହିତ ଉତ୍ସୃଷ୍ଟ ହେଲା ।

 

ଶ୍ରୀନୀଳମଣି ବିଦ୍ୟାରତ୍ନ

Image

 

ସମୁଦ୍ରଯାତ୍ରା ବିଚାର

 

ଉଚ୍ଚଶିକ୍ଷା, ବିବିଧ ଅଭିଜ୍ଞତାଲାଭ, ଜୀବିକାର୍ଜ୍ଜନ ଏବଂ ବାଣିଜ୍ୟ ବ୍ୟବସାୟ ଉପଲକ୍ଷେ ଦ୍ୱୀପାନ୍ତର ଯାତ୍ରା ଏ ଦେଶବାସୀମାନଙ୍କ ପକ୍ଷରେ ବର୍ତ୍ତମାନ ସମୟରେ ଏକାନ୍ତ ଆବଶ୍ୟକ ହୋଇଅଛି, ଏଥିରେ ବାଧା ଘଟିଲେ ଦେଶର ଏବଂ ଆମ୍ଭମାନଙ୍କର ଅଶେଷ ଅମଙ୍ଗଳ ସାଧିତ ହେବ, ଦେଶୋନ୍ନତିର ଆଶା ଦୂରାଶାରେ ପରିଣତ ହେବ । ଦ୍ୱୀପାନ୍ତର ଗମନ ନିମନ୍ତେ ଜଳଯାନ (ଜାହାଜ) ବ୍ୟତୀତ ଅନ୍ୟ ଉପାୟ ନାହିଁ । କିନ୍ତୁ ଜଳଯାନରେ ଯାତ୍ରାକଲେ–କୃଷ୍ଣସାର ମୃଗ ବର୍ଜ୍ଜିତ ଦେଶରେ ବାସକଲେ ହିନ୍ଦୁର ହିନ୍ଦୁତ୍ୱ ଲୋପ ହେବ, ସେ ଜାତିଚ୍ୟୁତ ସୁତରାଂ ପତିତ ହୋଇ ରହିବ, ଏହା ସମାଜର ତଥା ସମାଜପତିମାନଙ୍କର ମତ । ଏହି କାରଣରୁ ପ୍ରଥମେ ପ୍ରଥମ ଦ୍ୱୀପାନ୍ତର ଗମନ କରିବାକୁ କେହି ସାହସୀ ହେଉ ନଥିଲେ କାଳକ୍ରମେ ସ୍ୱଦେଶାନୁରାଗୀ, ଉନ୍ନତି ପିପାସୁ ଉତ୍ସାହୀ ଯୁବକମାନେ ସମାଜ ଭୟରେ ଭୀତ ନହୋଇ ସଦୁଦ୍ଦେଶ୍ୟରେ ଜାପାନ, ଜର୍ମ୍ମାନୀ, ଫ୍ରାନ୍ସ, ଇଂଲଣ୍ଡ, ଆମେରିକା ପ୍ରଭୃତି ଦେଶକୁ ଯିବା ଆରମ୍ଭ କଲେ । କ୍ରମରେ ବିଦେଶ ଯାତ୍ରୀ ସଂଖ୍ୟା ବୃଦ୍ଧିଲାଭ କଲା ଏବଂ ଏବେ ମଧ୍ୟ କରୁଅଛି । ଅନ୍ୟ ପ୍ରଦେଶବାସୀଙ୍କ କଥା ତେଣେଥାଉ ସକଳ ବିଷୟରେ ଅନୁନ୍ନତ ଏହି ଉତ୍କଳର ଜଣକେତେ କ୍ଷତ୍ରିୟ, ବ୍ରାହ୍ମଣ ଓ ଅପର ଉଚ୍ଚ ଜାତିର ଲୋକ ଉଚ୍ଚଶିକ୍ଷା ଏବଂ ବିବିଧ ବିଷୟରେ ଅଭିଜ୍ଞତା ଲାଭ କରିବା ନିମନ୍ତେ ଦ୍ୱୀପାନ୍ତର ଯାତ୍ରା କରି ଅଛନ୍ତି ଏବଂ କରିଥିଲେ । କ୍ରମଶଃ ଏହି ସଂଖ୍ୟା ଅବଶ୍ୟ ବୃଦ୍ଧି ଲାଭ କରିବ, ଏଥିରେ ସନ୍ଦେହ ନାହିଁ । ସମାଜ ଯେ ଏ ସ୍ରୋତର ଗତିରୋଧ କରିପାରିବ ଏହା ନିତାନ୍ତ ଅସମ୍ଭବ । ଦ୍ୱୀପାନ୍ତର ପ୍ରତ୍ୟାବୃତ୍ତ ପରଲୋକଗତ ମାନନୀୟ ମୟୂରଭଞ୍ଜ ମହାରାଜ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେବ ପ୍ରାୟଶ୍ଚିତ୍ତ କରି ସମାଜରେ ପ୍ରବେଶ କରିଥିଲେ । କନିକା ଏବଂ ସୁରଙ୍ଗୀର ସ୍ୱାଧୀନଚେତା, ସ୍ୱଦେଶବତ୍ସଳ ନରପତିମାନେ ଦ୍ୱୀପାନ୍ତର ଯାତ୍ରା ଦୋଷାବହ ବିବେଚନା କରୁନଥିବାରୁ ସେମାନେ ଅବଧି ପ୍ରାୟଶ୍ଚିତ୍ତର ଆବଶ୍ୟକତା ଉପଲବ୍ଧି କରିପାରିନାହାନ୍ତି । ଶାସ୍ତ୍ରଜ୍ଞାନ ବର୍ଜିତ ସମାଜପତିମାନେ ଯାହା କହନ୍ତୁ ଦ୍ୱୀପାନ୍ତର ଯାତ୍ରା ହିନ୍ଦୁମାନଙ୍କ ପକ୍ଷରେ ନୂଆକଥା ନୁହେ । ପ୍ରାଚୀନ କାଳରେ ଅନେକ ହିନ୍ଦୁ ସନ୍ତାନ ଜଳ ଯାନରେ ଦ୍ୱୀପାନ୍ତର ଗମନ କରୁଥିବାର ଭୂରିଭୂରି ପ୍ରମାଣ ହିନ୍ଦୁ ଶାସ୍ତ୍ରରେ ବିଦ୍ୟମାନ । ଅନ୍ୟ ପ୍ରଦେଶର କଥା ତେଣେ ଥାଉ ଏହି ଉତ୍କଳରୁ ହିନ୍ଦୁ ସନ୍ତାନମାନେ ଜଳଯାନରେ ବାଲିଦ୍ୱୀପ ଓ ସିଂହଳ ପ୍ରଭୃତି ସ୍ଥାନକୁ ଯାଉଥିବା କଥା ଇତିହାସ ପ୍ରସିଦ୍ଧ । ଏପରି ଅବସ୍ଥାରେ ସମୁଦ୍ରଯାତ୍ରାରେ ବାଧାଦେବା ସମାଜର ତଥା ସମାଜ-ପତିମାନଙ୍କର କର୍ତ୍ତବ୍ୟ ନୁହେ । ସମସ୍ତଙ୍କ ସନ୍ଦେହ ନିରଶନ ନିମନ୍ତେ ପ୍ରାଚୀନ କାଳରେ ହିନ୍ଦୁମାନେ ସମୁଦ୍ର ପଥରେ ଦ୍ୱୀପାନ୍ତର ଗମନ କରୁଥିବା ବିଷୟକ କେତେକ ଶାସ୍ତ୍ରୀୟ ପ୍ରମାଣ ସଙ୍କଳନ କରି ନିମ୍ନରେ ପ୍ରକାଶ କରୁଅଛୁଁ । ଭରସାକରୁଁ ତାହା ପାଠ କରି ସମୁଦ୍ରଯାତ୍ରା ବୈଧ ଏବଂ ଶାସ୍ତ୍ରସମ୍ମତ ଥିବାର ସମସ୍ତେ ସ୍ୱାକାର କରି ତହିଁରେ ଆଉ ବାଧା ପ୍ରଦାନ କରିବେ ନାହିଁ ।

 

ଜୈନରାଜା ଶ୍ରୀପାଳ ଏକ ବଣିକ ସହିତ ସାଗର ଯାତ୍ରା କରିଥିଲେ । ଶ୍ରୀପାଳ ଚରିତ ।

 

‘‘ସମୁଦ୍ରଗାମୀ ଜାହାଜର କଥା ଏହି ବ୍ୟକ୍ତି ଅବଗତ ଅଛନ୍ତି ।’’ ରୁକ୍‌ ୧, ୨୫, ୭ ।

 

‘‘ଦେବତା ପ୍ରେରିତ ମୁନି ଉଭୟ ସମୁଦ୍ରରେ ବାସ କରିଥାନ୍ତି ।’’ ରୁକ୍‌ ୧୦, ୧୩୬, ୫ ।

 

କଥା ସରିତ୍‌ ସାଗରର ୯ମ, ୨ୟ, ଲମ୍ବକ, ୪ର୍ଥ ଓ ୫ମ ତରଙ୍ଗରେ ସମୁଦ୍ରଯାତ୍ରାର ବର୍ଣ୍ଣନା ଦୃଷ୍ଟି ଗୋଚର ହୁଏ ।

 

ବିଷ୍ଣୁ ସ୍ମୃତିରେ କଥିତ ଅଛି,–‘‘ଅମୁକ ଅମୁକ ତିଥିରେ ସ୍ନାନ କଲେ ସମୁଦ୍ରଯାତ୍ରା ସଫଳ ହୁଏ ।’’

 

ମାନବ ସ୍ମୃତିର ଅଷ୍ଟମ ଅଧ୍ୟାୟ ୧୫୭ ଓ ୪୦ ଶ୍ଳୋକରେ ସମୁଦ୍ର ବଣିକ ଓ ସମୁଦ୍ର ଯାତ୍ରା ଉଲ୍ଲେଖ ଅଛି ।

 

ରୋହିତ ‘‘ପୃଥିବୀ ଓ ସମୁଦ୍ରଯାତ୍ରା କରିଥିଲେ ।’’ ଅଥର୍ବ ୧୦, ୨, ୪୦ ।

 

ଯାଜ୍ଞବଲ୍ୟୁରେ ଲିଖିତ ଅଛି,–‘‘ସମୁଦ୍ର ଯାତ୍ରୀ ନିକଟରୁ ଶତକରା ୨୦ ଟଙ୍କା ଶୁଳ୍କ ନେବାକୁ ହେବ ।

 

ବରୁଣ ସମୁଦ୍ରଗାମୀ ଜାହାଜ ନିର୍ମାଣର ଉପଯୋଗୀ ଯାବତୀୟ ଶିଳ୍ପକଳା ଅବଗତ ହୋଇ ଅଛନ୍ତି । ରୁକ୍‌ । ଅଷ୍ଟକ ୧ ଅଧ୍ୟାୟ ୨, ବର୍ଗ ୧୯ ।

 

‘‘ଯେଉଁ ସକଳ ବ୍ୟକ୍ତି ଲାଭର ପ୍ରୟାସୀ, ସେମାନେ ଦଳବଦ୍ଧ ହୋଇ ସାଗର ଯାତ୍ରା କରିଥାନ୍ତି । ରୁକ୍‌ । ୧, ୫୬, ୨ ।

 

‘‘ଦ୍ୱୀପ୍ତିମାନ୍‌ ଋଷି ଗଭୀର ସମୁଦ୍ରର ଉପଯୋଗୀ ନୂତନ ଜାଲ ସଦା ସର୍ବଦା ପ୍ରସ୍ତୁତ କରିଥାନ୍ତି ।’’ ରୁକ୍‌ ୧, ୧୫୯, ୪ ।

 

‘‘ରତ୍ନାବଳୀ’’ରେ ସୌଗନ୍ଧରାୟଣ ଓ ଏକ ବୈଶ୍ୟର ସମୁଦ୍ରଯାତ୍ରାର ଉଲ୍ଲେଖ ଅଛି ।

 

‘‘ରାଜତରଙ୍ଗିଣୀ’’ରେ କତିପୟ ରାଜାଙ୍କର ଉଲ୍ଲେଖ ଅଛି । ସେମାନେ ସମୁଦ୍ର ପାର ହୋଇ ଲଙ୍କା ଗମନ କରିଥିଲେ ।

 

ଅଦ୍ୱିତୀୟ ବୀର ଭଗବାନ ବିଷ୍ଣୁ ଦ୍ୱାରକା ଅବସ୍ଥାନ କାଳରେ ଏକ ସମୟରେ ପିଣ୍ଡାରକ ତୀର୍ଥ ଦେଖି ସମୁଦ୍ରଯାତ୍ରା କରିଥିଲେ । ହରିବଂଶ ୧, ୪୫, ୪ ।

 

‘‘ଜାହାଜ ଯେଉଁ ପରି ଆମ୍ଭମାନଙ୍କର ପରପାର୍ଶ୍ୱକୁ ଯିବା ନିମନ୍ତେ ସାହାଯ୍ୟ କରେ, ଅଗ୍ନି ମଧ୍ୟ ସେହିପରି ପାପର ପର ପାର୍ଶ୍ୱକୁ ଯିବା ନିମନ୍ତେ ସାହାଯ୍ୟ କରେ ।’’       ରୁକ୍‌ ଅଷ୍ଟକ ୧ ଅଧ୍ୟାୟ ୭ ।

 

ଚାଣକ୍ୟଙ୍କ ଅର୍ଥ ଶାସ୍ତ୍ର ପାଠ କଲେ ଜଣାଯାଏ ଯେ, ଚନ୍ଦ୍ରଗୁପ୍ତଙ୍କ ସମୟରେ ଜଳ ସେନା ଦେଶ ରକ୍ଷାର ଏକ ପରମ ସହାୟ ଥିଲା ।

 

‘‘କୃଷ୍ଣଙ୍କର କଥା ଶୁଣି ବୃଦ୍ଧ ଯାଦବ ସମୁଦ୍ର ପାରି ହୋଇ ରଥାରୋହଣ ପୂର୍ବକ ପ୍ରଭାସ କ୍ଷେତ୍ରକୁ ଗମନ କରିଥିଲେ ।’’ (ଭାଗବତ)

 

ସମୁଦ୍ର ମଧ୍ୟରେ ପ୍ରବଳ ପ୍ରଭଞ୍ଜନଦ୍ୱାରା ଆକ୍ରାନ୍ତ ହୋଇ ଯେଉଁମାନେ ଆମ୍ଭକୁ ସ୍ମରଣ କରିବେ, ସେମାନେ ସେହି ବିପଦରୁ ଉଦ୍ଧାର ହେବେ । ମାର୍କଣ୍ଡେୟ ପୁରାଣ, ଦେବୀ ମହାତ୍ମ୍ୟ ।

 

ଦଶ କୁମାର ଚରିତରେ ଏକ ବଣିକର ଉଲ୍ଲେଖଅଛି । ସମୁଦ୍ରଯାତ୍ରାରେ ବାହାରି ତାହାର ଜାହାଜ ଭଗ୍ନ ହୋଇଯାଇଥିଲା, ସେ ବିପଦରେ ପଡ଼ିଥିଲା ।

 

ରଘୁବଂଶ ଷଷ୍ଠ ସର୍ଗ ୩୮ ଶ୍ଳୋକରେ ଜଣେ ରାଜାଙ୍କର ବିଷୟ ଉଲ୍ଲେଖ ଅଛି । ସେ ଅଷ୍ଟାଦଶ ଦ୍ୱୀପରେ ଯୂପ ଦଣ୍ଡ ସ୍ଥାପିତ କରିଥିଲେ । ସକଳ ଦ୍ୱୀପରେ ସେ ଯଜ୍ଞ କରିଥିଲେ ।

 

ରାମ ସୁପ୍ରସନ୍ନ-ମନରେ ଲକ୍ଷ୍ମଣଙ୍କୁ କହିଥିଲେ ‘‘ବର୍ତ୍ତମାନ ତୁମ୍ଭେ ଲଙ୍କାକୁ ଯାଅ ଏବଂ ବ୍ରାହ୍ମଣମାନଙ୍କ ସହାୟତାରେ ବିଭୀଷଣଙ୍କୁ ଯଥାବିଧି ରାଜ୍ୟାଭିଷିକ୍ତ କର ।’’ ଅଧ୍ୟାତ୍ମ୍ୟ ରାମାୟଣ ଯୁଦ୍ଧକାଣ୍ଡ ।

 

ସମୁଦ୍ରରୁ ଆଗତ ବାଣିଜ୍ୟ ଦ୍ରବ୍ୟ ଉପରେ ଏକ ପ୍ରକାର କର ବସୁଥିଲା । ଉତ୍ତମ ଦ୍ରବ୍ୟ ମାଲିକ ନିମନ୍ତେ ରଖିଦେଇ ଅବଶିଷ୍ଟ ପଦାର୍ଥର ମୂଲ୍ୟ ଉପରେ ଶତକରା ଦଶ ମୁଦ୍ରା ହିସାବରେ କର ବସୁଥିଲା । ବୌଧାୟନ ।

 

‘‘ଯାହାଙ୍କର ସ୍ତ୍ରୀର ଗର୍ଭ ଲକ୍ଷଣ ସୁଚିତ ହେବ, ଏପରି ସ୍ୱାମୀ ସମୁଦ୍ରଯାତ୍ରା, ଶବଦାହନ, କ୍ଷୌରକର୍ମ୍ମ, ଗୟାଦିତୀର୍ଥ ଗମନ, ଯାଗଯଜ୍ଞ, ବାସ୍ତୁବିଧି ପ୍ରଭୃତି କାର୍ଯ୍ୟ ସକଳ କରିବେ ନାହିଁ ।’’

 

ବଶିଷ୍ଠ କହିଥିଲେ ଯେତେବେଳେ ଆମ୍ଭେ ବରୁଣଙ୍କ ସହିତ ଜାହାଜରେ ବସି ସମୁଦ୍ର ମଧ୍ୟରେ ଗମନ କରୁଥିଲୁଁ, ତେତେବେଳେ ଆମ୍ଭେମାନେ ଜଳରାଶି ଉପରେ ଏପାଖ ସେପାଖ ହଲିବାକୁ ଲାଗିଲୁଁ । ମନେହେଲା; ଆମ୍ଭେମାନେ ଯେପରି କୌଣସି ସୁଖକର ଦୋଳାଧରି ଦୋଳି ଖେଳୁଅଛୁଁ । ରୁକ୍‍ବେଦ ବରୁଣ ଶୁକ୍ର, ୭, ୮୮, ୩ ।

 

‘‘ପଦ୍ମରାଜ, ବହୁସମୁଦ୍ରବାସୀ, ବିଭିନ୍ନ ଦେଶବାସୀ । ମରୁଦ୍ୱୀପ ପୁଞ୍ଜର ମ୍ଳେଚ୍ଛରାଜା–ଏହି ସମସ୍ତଙ୍କୁ ଭୀମସେନ ପରାଜିତ କରିଥିଲେ ।

 

କତିପୟ ସେନା ନେଇ ଘୋରଯୁଦ୍ଧ କରିଥିଲେ । ସେ ସକଳ ଦ୍ୱୀପ, ସପ୍ତଦ୍ୱୀପ ଓ ତନ୍ନିକଟବର୍ତ୍ତୀ ଦ୍ୱୀପ ପୁଞ୍ଜର ‘‘ରାଜାମାନଙ୍କୁ ପରାଜିତ କରିଥିଲେ ।’’ ମହାଭାରତ, ରାଜସୂୟ ।

 

ସାଗର ଓ ତମାର ଦ୍ୱୀପବାସୀ ମ୍ଳେଚ୍ଛରାଜା ଓ ରୋମକ ପର୍ବତବାସୀ ଅନ୍ୟାନ୍ୟ ରାଜାମାନଙ୍କୁ ପାଣ୍ଡବମାନେ ଅନାୟାସରେ ପରାଜିତ କରିଥିଲେ । ଅନନ୍ତର ସୁଦୂର ସମୁଦ୍ରର ଅଧିବାସୀ କ୍ରୂର, ବର୍ବଚ, ପହ୍ଲବ ଓ କିରାତମାନଙ୍କୁ ପରାଜିତ କରି ସେମାନଙ୍କର ନାମ ଶେଷ କରିଥିଲେ । ମହାଭାରତ, ରାଜସୂୟ ।

 

ହେ ଅଜ ! ଯେଉଁ ସାଧକ ପରମେଶ୍ୱରଙ୍କ ସହାୟତା ବ୍ୟତୀତ ଇନ୍ଦ୍ରିୟ ଚଞ୍ଚଳ ମନକୁ ବଶୀଭୂତ କରିବାକୁ ଇଚ୍ଛାକରେ, ତାହାର ସକଳ ଆଶା ନିଷ୍ପଳ ହୁଏ । ଯେଉଁ ବ୍ୟକ୍ତି ସୁଦକ୍ଷ ନାବିକ ନ ନେଇ ସମୁଦ୍ରଯାତ୍ରା କରେ, ତାହାର ଅବସ୍ଥା ଯେଉଁପରି ହୁଏ, ଉକ୍ତ ସାଧକ ସେହିପରି ଅବସ୍ଥା ପ୍ରାପ୍ତ ହୁଏ ।’’ ଭାଗବତ ୧୦, ୮୫, ୩୩ ।

 

‘ତନ୍ତ୍ରବାର୍ତ୍ତିକ’ର ସଦାଚାର ପ୍ରସଙ୍ଗରେ ପାଣ୍ଡବମାନଙ୍କର କେତେକ ଘଟଣାର ଉଲ୍ଲେଖ ଅଛି । ଅନନ୍ତର କେତେଗୁଡ଼ିଏ ନିୟମ ଭଙ୍ଗ ସମ୍ବନ୍ଧେ ଉକ୍ତ ଗ୍ରନ୍ଥରେ ଲେଖାଅଛି–‘‘ଅର୍ଜ୍ଜୁନ ନିଜ ମାତୁଳ କନ୍ୟା ସୁଭଦ୍ରାଙ୍କୁ ବିବାହ କରିଥିଲେ । ପାଞ୍ଚଭାଇ ଏକ ସ୍ତ୍ରୀକୁ ବିବାହ କଲେ; ଅର୍ଜ୍ଜୁନ ଓ କୃଷ୍ଣ ମଦ୍ୟପାନ କରନ୍ତି ।’’ କିନ୍ତୁ ଅର୍ଜ୍ଜୁନଙ୍କ ସମୁଦ୍ରଯାତ୍ରା ଦୋଷାବହ ବା ନିୟମଭଙ୍ଗ ବୋଲି କୌଣସି ସ୍ଥାନରେ ଉଲ୍ଲେଖ ହୋଇନାହିଁ ।

 

ବିଷ୍ଣୁ ରାଜା ସତ୍ୟବ୍ରତକୁ କହୁଅଛନ୍ତି, ‘‘ତୁମେ ଖଣ୍ଡିଏ ବଡ଼ ଜାହାଜ ନିର୍ମାଣ କରାଇ ସେଥି ମଧ୍ୟରେ ସକଳ ପ୍ରାଣୀର ବୀଜ ସଂଗ୍ରହ କରି ରଖିବ, ନିଜେ ମଧ୍ୟ ସପ୍ତର୍ଷିଙ୍କ ସହିତ ଏହି ଜାହାଜରେ ଆଶ୍ରୟ ଗ୍ରହଣ କରିବ । ପ୍ରଳୟ ଜଳରେ ସମୁଦାୟ ପୃଥିବୀ ଆଚ୍ଛନ୍ନ ହୋଇଯିବ, ତେତେବେଳେ ସମୁଦ୍ରବକ୍ଷ, କେବଳ ଏହି ୠଷିମାନଙ୍କ ପ୍ରତାପରେ ଆଲୋକିତ ରହିବ, ଏହି ଆଲୋକ ସାହାଯ୍ୟରେ ସାଗର ପାର ହେବ ।’’ ଭାଗବତ ୮, ୨୪ ।

 

କୌଣସି ରାଜାଙ୍କ ରାଜ୍ୟରେ ବେଦ ବେଦାଙ୍ଗ ପାରଦର୍ଶୀ ଏକ ବ୍ରାହ୍ମଣ ବାସ କରନ୍ତି । ଦିନେ ରାଜାଙ୍କର କନିଷ୍ଠ ପୁତ୍ର ବ୍ରାହ୍ମଣଙ୍କୁ କହିଥିଲେ ‘‘ମୋ ବ୍ୟତୀତ କିଏ ସିଂହଳ ଦ୍ୱୀପକୁ ଯାଇପାରେ ?’’ ଏହି କଥା କହି ଚାଳକ ତାହାଙ୍କ ଭଗ୍ନି ସହିତ ସିଂହଳ ଯାତ୍ରା କଲେ । ସେଠାରେ ପହୁଞ୍ଚି ସେମାନେ ସୋମପଲ୍ଲିରେ ବାସ କରିବାକୁ ଲାଗିଲେ ।

 

ଏହି ବ୍ୟକ୍ତି ଦୁଇଟି ବ୍ରାହ୍ମଣ ସନ୍ତାନଙ୍କୁ ଶୀଘ୍ର ଶତ ଯୋଜନ ବିସ୍ତୃତ ସାଗରର ଅପର ପାର୍ଶ୍ୱକୁ ନେଇ ଯାଇଥିଲେ । ଭବିଷ୍ୟ ପୁରାଣ, ଭୀଷ୍ମ ଯୁଧିଷ୍ଠିର ସମ୍ବାଦ ।

 

‘‘ହେ ଯୁବକ ! ଶୋକ ତ୍ୟାଗ କର, ଆମ୍ଭର କଥା ଶୁଣ, ସମୁଦ୍ର ପାରରେ ପ୍ଳକ୍ଷ ଦ୍ୱୀପର ଦିବ୍ୟନ୍ତୀ ନଗରୀରେ ଗୁଣାକର ନାମଧେୟ ଏକ ରାଜା ଅଛନ୍ତି, ରାଜାଙ୍କର ସର୍ବଗୁଣ ସମ୍ପନ୍ନ, ସୁଶୀଳାନାମ୍ନୀ ସ୍ତ୍ରୀର ଗର୍ଭରେ ସୁଲୋଚନା ନାମ୍ନୀ ଏକ କନ୍ୟା ଜନ୍ମଗ୍ରହଣ କରିଥିଲେ । ଯେଉଁପରି ଆମ୍ଭମାନଙ୍କ ଦେଶର ତୁମ୍ଭପରି ସୁନ୍ଦର ଯୁବକ ନାହାନ୍ତି, ସେହିପରି ଏହି ସୁଲୋଚନା ଅପେକ୍ଷା ସୁନ୍ଦରୀ ମଧ୍ୟ ପକ୍ଷ ଦ୍ୱୀପରେ ଆଉ ନାହାନ୍ତି । ଯଦି ତୁମ୍ଭେ ସ୍ୱର୍ଗ ସୁଖ ଭୋଗ କରିବାକୁ ଇଚ୍ଛା କର, ପ୍ଳକ୍ଷଦ୍ୱୀପକୁ ଯାଅ, ତାହାଙ୍କୁ ବିବାହ କର’’ ପଦ୍ମପୁରାଣ ।

‘‘ହେ ଅଶ୍ୱିନ ! ତୁଗ୍ର (ନିଜ ପ୍ରିୟ ପୁତ୍ର) ଭିଜ୍ୟୁଙ୍କୁ ସାଗର ପାରକୁ ପ୍ରେରଣ କରିଥିଲ । ମୁମୂର୍ଷୁ ଅଥଚ ନିଜ ଧନ ତ୍ୟାଗ ନିମନ୍ତେ ଅନିଚ୍ଛୁକ ବ୍ୟକ୍ତିତୁଲ୍ୟ ତୁଗ୍ର ଅତ୍ୟନ୍ତ ଦୁଃଖର ସହିତ ଅନିଚ୍ଛା ସତ୍ତ୍ୱେ ଜଳଚର ଦସ୍ୟୁବର୍ଗର ଦଣ୍ଡ ବିଧାନ ନିମନ୍ତେ ପୁତ୍ରଙ୍କୁ ଆଦେଶ କରିଥିଲେ । ପୁତ୍ର ସମୁଦ୍ର ପାରକୁ ଗମନ କରି ତତ୍ରତ୍ୟ ପ୍ରଜାପୁଞ୍ଜଙ୍କୁ ଶାସନ କରିଥିଲେ–ସେମାନଙ୍କୁ ବିବିଧ ଉପାୟରେ ଦମନ କରିଥିଲେ । ସେହି ସ୍ଥାନରୁ ପ୍ରତ୍ୟାଗମନ କାଳରେ ପଥ ମଧ୍ୟରେ ଭିଜ୍ୟୁଙ୍କ ଜାହାଜ ଜଳମଗ୍ନ ହେଲା । ତେତେବେଳେ ତୁମ୍ଭେ ତୁମ୍ଭର ସୁଦୃଢ଼ ପତତ୍ରି–ବେଗ ସମ୍ପନ୍ନ ଛିଦ୍ରଶୂନ୍ୟ ଜାହାଜରେ ଆରୋହଣ କରାଇ ତାହାକୁ ରକ୍ଷା କରିଥିଲ । ସାଗର ପାର ହୋଇ ତୁମ୍ଭେ ନିଜର ଷଟ୍‌-ଯୁଗ୍ମ ବାହିତ ଶତ-ଚକ୍ର-ସମନ୍ୱିତ ରଥରେ ତାହାଙ୍କୁ ବସାଇ ମରୁଭୂମି ଉତ୍ତୀର୍ଣ୍ଣ ହୋଇଥିଲ । ହେ ଅଶ୍ୱିନ ! ଭିଜ୍ୟୁଙ୍କୁ ଏହିପରି ଶତ-କ୍ଷେପଣୀ–ସଂଯୁତ ସ୍ୱୀୟ ଜାହାଜରେ ବସାଇ ବିଶ୍ରାମ-ସ୍ଥାନ ଶୂନ୍ୟ ଅତଳ ସାଗରର ପରପାର୍ଶ୍ୱକୁ ନେଇ ଯାଇଥିଲ, ଏହା ତୁମ୍ଭର ବୀରୋଚିତ କାର୍ଯ୍ୟ ସନ୍ଦେହ ନାହିଁ ।’’ ରୁକବେଦ ୧, ୧୧୬,୩ ।

ଶାସ୍ତ୍ରାବଳୀ ଭଲରୂପେ ଆଲୋଡ଼ନ କଲେ ଏହିପରି ଶତ ଶତ ଜଣ ସଙ୍କଳନ କରାଯାଇପାରେ । ଏଲାହାବାଦ ମ୍ୟୋର ଲେଜର ସଂସ୍କୃତ ଅଧ୍ୟାପକ ମହାମହୋପାଧ୍ୟାୟ ପଣ୍ଡିତ ଗଙ୍ଗନାଥ ଝା, ଏମ୍‌. ଏ, ଡି, ଏଲ୍‌ ମହୋଦୟ ଅନେକ ପ୍ରମାଣ ସଙ୍କଳନ କରିବାପରେ କହିଅଛନ୍ତି,–‘‘ପୁରାକାଳରେ ସକଳ ସମ୍ପ୍ରଦାୟର ହିନ୍ଦୁ, ଶିକ୍ଷାଲାଭ ଓ ଦିଗ୍‌ବିଜୟ ପ୍ରଭୃତି ଉଦ୍ଦେଶ୍ୟରେ ସମୁଦ୍ରଯାତ୍ରା କରିଥାନ୍ତି । ସେମାନେ ସାଗରର ଅପର ପାର୍ଶ୍ୱରେ ଅବସ୍ଥିତ ମହାଦେଶମାନଙ୍କୁ ଜଳଧି ମେଖଳା ଦ୍ୱୀପପୁଞ୍ଜକୁ ଯାତାୟାତ କରିଥାନ୍ତି କିନ୍ତୁ ଏହି ସମୁଦ୍ରଯାତ୍ରା ନିମନ୍ତେ ସେମାନେ କେବେହେଁ ଜାତିଚ୍ୟୁତ ବା ସମାଜଚ୍ୟୁତ ହୁଅନ୍ତି ନାହିଁ । ବେଦ, ପୁରାଣ, ଇତିହାସ ପ୍ରଭୃତି ଆଦି ଯୁଗର ଗ୍ରନ୍ଥମାନଙ୍କରେ ଏହାର କୋଟି କୋଟି ଉଦାହରଣ ବର୍ତ୍ତମାନ ।’’

(ଏ ପୁସ୍ତକରେ ସନ୍ନିବିଷ୍ଟ ପ୍ରମାଣାବଳୀ ଉକ୍ତ ଅଧ୍ୟାପକ ମହାଶୟଙ୍କ ସଙ୍କଳିତ ପ୍ରମାଣ ମଧ୍ୟରୁ ସଂଗୃହୀତ ।)

ପୁରୀ ଗୋବର୍ଦ୍ଧନ ମଠର ମହନ୍ତ ଶ୍ରୀଯୁକ୍ତ ଶଙ୍କରାଚାର୍ଯ୍ୟ ମଧୁସୂଦନ ତୀର୍ଥ ସ୍ୱାମୀ ମହୋଦୟ ବିଶେଷ ଆଲୋଚନା ପୂର୍ବକ ପ୍ରମାଣଯୁକ୍ତ ଏକ ପୁସ୍ତକ ପ୍ରକାଶ କରି ସମୁଦ୍ରଯାତ୍ରା ସମର୍ଥନ କରିଅଛନ୍ତି ।

ଖଲ୍ଲିକୋଟ–ଆଠଗଡ଼ର ପରଲୋକଗତ ନରପତି ଶ୍ରୀଯୁକ୍ତ ରାଜା ହରିହର ମର୍ଦ୍ଦରାଜ ଦେବ ମହୋଦୟ କେତେକ ବର୍ଷ ପୂର୍ବେ ସ୍ୱରାଜ୍ୟରେ ଉତ୍କଳର ପୁରୀ ପ୍ରଭୃତି ସ୍ଥାନରେ ପଣ୍ଡିତମାନଙ୍କୁ ସମବେତ କରି ସମୁଦ୍ରଯାତ୍ରା ସମ୍ବନ୍ଧରେ ପ୍ରଶ୍ନ କରିଥିଲେ । ସେହି ସଭାରେ ଅନେକ ତର୍କ ବିତର୍କ ପରେ ସମସ୍ତେ ଏକମତ ହୋଇ ସମୁଦ୍ରଯାତ୍ରା ଶାସ୍ତ୍ର ସମ୍ମତ ଓ ଯୁକ୍ତି ସଙ୍ଗତ ବୋଲି ମତ ବ୍ୟକ୍ତ କରିଥିଲେ ।

ଉପରୋକ୍ତ ପ୍ରମାଣ ଏବଂ ଲୋକମତ ଅବଗତ ହୋଇ ସମୁଦ୍ରଯାତ୍ରା ବିଷୟରେ ଆଉ କାହାରି ବିରୁଦ୍ଧାଚରଣ କରିବା ଉଚିତ ନୁହେ । ଉଚ୍ଚଶିକ୍ଷା ପ୍ରାପ୍ତ, ବହୁଦର୍ଶୀ, ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କ ଜାତିଚ୍ୟୁତର ଭୟ ଦେଖାଇ ସେମାନଙ୍କ ପ୍ରତିଭା ବିକାଶ ଓ ଜ୍ଞାନୋନ୍ନତିରେ ବିଘ୍ନ ଘଟାଇବା ବ୍ୟକ୍ତିମାନେ ସମାଜର ମିତ୍ର ନୁହନ୍ତି ଶତ୍ରୁ । ସେପରି ଉଚ୍ଚାଭିଳାଷୀ, ଉନ୍ନତି କାମୀ, ଉତ୍ସାହୀ ବ୍ୟକ୍ତିମାନଙ୍କୁ ସମାଜରୁ ଘଉଡ଼ି ଦେଲେ ସମାଜର ଓ ଦେଶର ଅବନତି ଅନିବାର୍ଯ୍ୟ ।

Image